![]()
କୋରୋନା ହଜାଇ ଦେଲା ଚାକିରୀ ନିଶା । ସୁଦୂର ମୈସୁରର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟ କରୁଥିବା ଯୁବ ଇଞ୍ଜିନିୟର ଏବେ ପାଲଟିଛନ୍ତି ଜଣେ ଠେକୁଆ ଚାଷୀ । ଠେକୁଆ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି ସେ । ଉଚ୍ଚ ଚାକିରି ପ୍ରତି ଅଭିଳାଷା ନରଖି ଠେକୁଆ ଚାଷ କରି ଆଜି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ହେଉଛନ୍ତି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଯୁବ ଇଞ୍ଜିନିୟର ଜଗନ୍ନାଥ ମହାରଣା । ମୈସୁର ରେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରରେ ଜୁନିୟର ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ଜଗନ୍ନାଥ । ଏବେ ସେ ଜଣେ ସଫଳ ଠେକୁଆ ଚାଷୀ । ଯାହା ଦ୍ବାରା ସେ ଆଜି ନିଜେ ସ୍ବାବଲମ୍ବୀ ହେବା ସହ ଏଥିରେ ନିୟୋଜିତ ଶ୍ରମଜୀବୀଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇପାରିଛନ୍ତି । କେତେବେଳେ ଅଭାବି ବିକ୍ରୀ ତ ଆଉ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ବା ଜଳସେଚନ ସମସ୍ୟା ଉଜାଡି ଦେଉଛି ଚାଷ । ହେଲେ ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଜଣେ ବିଟେକ୍ ଉତ୍ତିର୍ଣ୍ଣ ଯୁବକ ଇଂ ଜଗନ୍ନାଥ ମହାରଣା ଏମିତି ଏକ ଚାଷ ତରିକା ଆପଣାଇଛନ୍ତି, ଯାହାକୁ ନେଇ ସେ ଏବେ ସବୁଆଡେ ଚର୍ଚ୍ଚାରେ । ଠେକୁଆ ଚାଷ କରି ବାର୍ଷିକ 9-10ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି । ସେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ଜଣେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଗତ ଦୁଇବର୍ଷ ତଳେ କୋଭିଡ୍ ମହାମାରୀ ସମୟରେ ବାପା ମା ଓ ତାଙ୍କ ପରିବାର ଙ୍କ ଡକରାରେ ସେ ଘରକୁ ଫେରି ଆସିବାକୁ ବାଧ୍ୟ ହେଲେ । ୟୁଟ୍ୟୁବ୍ ଦେଖି ଫାର୍ମିଂ କରିବାକୁ ମନସ୍ଥ କଲେ। ଯେଉଁଥିରୁ ସେ ଠେକୁଆ ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ । ପରେ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ଏ ସମ୍ପର୍କରେ ତାଲିମ ନେଇଥିଲେ । ସେଠାରୁ ସେ ଘରକୁ ଫେରିଆସି ଗାଁରେ ଥିବା ନିଜ ଜମିରେ ଏକ ଫାର୍ମ କରି ଠେକୁଆ ଚାଷ ଆରମ୍ଭ କଲେ । ଯେଉଁଥିରୁ ଆଜି ତାଙ୍କ ପାଇଁ ରୋଜଗାରର ବାଟ ଫିଟିଛି ।
ଜଗନ୍ନାଥ ଗତ ଫେବୃଆରୀ ମାସରେ ପ୍ରଥମେ 70ଟି ମାଇ ଓ 30ଟି ଅଣ୍ଡିରା ଠେକୁଆ ଆଣି ଫାର୍ମ ଆରମ୍ଭ କରିଥିଲେ । ଧିରେ ଧିରେ ଠେକୁଆଙ୍କ ସଂଖ୍ୟା ବଢିବା ସହ ରୋଜଗାରର ବାଟ ମଧ୍ୟ ଫିଟିଲା । ପ୍ରତି ଠେକୁଆ ଥରକେ 7ରୁ8ଟି ଲେଖାଏଁ ଛୁଆ ଜନ୍ମ ଦେଇଥାନ୍ତି । ମାତ୍ର 90ଦିନ ମଧ୍ୟରେ ହାରାହାରି 350ଟି ଛୁଆ ଉତ୍ପାଦନ ହୋଇସାରିଛନ୍ତି । ଏବେ ଅଧିକାଂଶ ବିକ୍ରି ହେବା ଯୋଗ୍ୟ ମଧ୍ୟ ହୋଇସାରିଛନ୍ତି । ଠେକୁଆ ଗୁଡିକୁ କିଏ ଘରେ ପାଳିବାକୁ କିଣି ନେଉଛନ୍ତି ତ ଆଉ କିଏ ମାଂସ ଉତ୍ପାଦନ ପାଇଁ । କମ୍ ଦାନା ଓ ଘାସ ଖାଇ 3 ମାସ ମଧ୍ୟରେ ଗୋଟିଏ ଠେକୁଆ 2କିଲୋରୁ ଅଢେଇ କିଲୋ ପର୍ଯ୍ୟନ୍ତ ହୋଇଯାଉଛନ୍ତି । ବର୍ତ୍ତମାନ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ଏଠାରୁ ଠେକୁଆ ଗୁଡିକ ବିକ୍ରି କରାଯାଉଛି । ଠେକୁଆ ବିକ୍ରିକରି ଏବେ ମାସକୁ ପାଖାପାଖି ଏକ ଲକ୍ଷ ଟଙ୍କା ଲାଭ କରୁଛନ୍ତି ଜଗନ୍ନାଥ । ଯାହା ଦ୍ବାରା ସେ ଏବେ ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ଏହା ଦ୍ବାରା ଅନ୍ୟମାନେ ମଧ୍ୟ ପ୍ରଭାବିତ ହୋଇ ଧଳା ଠେକୁଆ ଚାଷ ପ୍ରତି ଆକୃଷ୍ଟ ହେଉଥିବା ଲକ୍ଷ୍ୟ କରାଯାଇଛି ।